ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ସିକନ୍ଦରା ରାଓ ଥାନା ପୁଲରାଇ ଗାଁରେ ବଡ ଅଘଟଣ। ମଙ୍ଗଳବାର ଏଠାରେ ଏକ ସତ୍‌ସଙ୍ଗ ହେଉଥିବା ବେଳେ ଦଳାଚକଟାରେ ୧୨୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଉତ୍ତର ପ୍ରଦେଶ ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ତିନି ଜଣ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ଅଲୀଗଡ଼ ଆଇଜି ଶଲଭ ମାଥୁର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇସାରିଛି। ୨୭ଟି ମୃତଦେହ ଏଟାରେ ଥିବା ବେଳେ ବାକିଗୁଡ଼ିକ ହାଥରସରେ ଅଛି। ବ୍ୟବଚ୍ଛେଦ ପାଇଁ ସେଗୁଡ଼ିକୁ ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି। ଆହତମାନେ ଯେପରି ଉତ୍ତମ ଚିକିତ୍ସା ପାଇପାରିବେ, ସେ ଦିଗରେ ମଧ୍ୟ ଦୃଷ୍ଟି ଦିଆଯାଉଛି।

ଏହି ଘଟଣାରେ ମାମଲା ରୁଜୁ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ଯେଉଁମାନେ ଅନୁମତି ଲୋଡିଥିଲେ, ସେମାନଙ୍କ ନାଁ ଏଥିରେ ଯୋଡ଼ା ଯିବ। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଯେତିକି ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା, ତା’ଠାରୁ ଢେର ଅଧିକ ଏଥିରେ ସାମିଲ ହୋଇଥିଲେ।କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏଠାରେ ବହୁତ ଭିଡ଼ ଜମି ଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ଆମେ ସମସ୍ତେ ଘରକୁ ଫେରିଯିବାକୁ ବାହାରିଥିଲୁ। ତେବେ ବାହାରିବା ସ୍ଥାନଟି ଖୁବ୍ ଛୋଟ ଥିଲା। ଆମେ ସେଠାରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ଠେଲାପେଲା ଆରମ୍ଭ ହୋଇଗଲା। ପରେ ଏହା ଦଳାଚକଟାର ରୂପ ନେଇଥିଲା। ଦଳାଚକଟା ବେଳେ କିଛି ଲୋକ ସେଥିରୁ ବର୍ତ୍ତିବାକୁ ଉଦ୍ୟମ କରି ରାସ୍ତାକଡ଼ରେ ଥିବା ଡ୍ରେନ୍‌ରେ ପଡ଼ି ଯାଇଥିଲେ। ରାସ୍ତା ଉଚ୍ଚରେ ଥିଲା ଓ ତା’ ତଳେ ଡ୍ରେନ୍ ଥିଲା।

ଅନ୍ୟପଟେ ହାଥରସରେ ସତସଙ୍ଗ ଆୟୋଜନ କରୁଥିବା ବାବା ଭୋଲେ ବାବା ନାରାୟଣ ସାକର ବିଶ୍ୱ ହରିଙ୍କୁ ଏବେ ପୁଲିସ ଖୋଜୁଛି। ବାବାଙ୍କ ଆଶୀର୍ବାଦ ନେବା ଏବଂ ପାଦ ଛୁଇଁବା ପ୍ରତିଯୋଗିତାରେ ୧୨୨ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଉଛି । ଏହି ଘଟଣା ପରଠାରୁ ଏହି ବାବା ଫେରାର ଅଛନ୍ତି ଏବଂ ୟୁପି ପୋଲିସ ତାଙ୍କୁ ଖୋଜୁଥିବାର ଜଣା ପଡ଼ିଛି। ଭୋଲେ ବାବା ନାରାୟଣ ସାକର ତାଙ୍କ ପତ୍ନୀଙ୍କ ସହ ସତସଙ୍ଗ କରନ୍ତି।ତାଙ୍କର ସତ୍ସଙ୍ଗକୁ ‘ମାନବ ମଙ୍ଗଳ ମିଳନ ସଦ୍ଭାବନା ସମାଗମ’ କୁହାଯାଏ ।

Please follow and like us:
Pin Share

Leave a Reply

Your email address will not be published. Required fields are marked *