ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କାର୍ଯ୍ୟ ଶେଷ ହୋଇଛି । ସର୍ଭେ କାର୍ଯ୍ୟ ଶେଷ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ କାର୍ଯ୍ୟ ଶେଷ ହୋଇଛି । ଯଦିଓ ଆସନ୍ତାକାଲି ପାଇଁ ମଧ୍ୟ ସମୟ ଥିଲା, କିନ୍ତୁ ଆଜି ଦ୍ଵିତୀୟ ଦିନରେ ସର୍ଭେ କାର୍ଯ୍ୟ ଶେଷ ହୋଇଛି ।
ଏନଜିଆରଆଇ ଶ୍ରେଷ୍ଠ ଜ୍ଞାନ କୌଶଳର ବ୍ୟବହାର କରି ସର୍ଭେ କରିଛି । ଏନଜିଆରଆଇ ଏହି ସର୍ଭେ ରିପୋର୍ଟ ଏଏସଆଇକୁ ହସ୍ତାନ୍ତର କରିବ । ଏବଂ ଏହାପରେ ଏଏସଆଇ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଟେକ୍ନିକାଲ ସର୍ଭେ ରିପୋର୍ଟ ଆସିବା ପରେ ପରାମର୍ଶ ଲୋଡ଼ାଯିବ । ସେବା ପୂଜା ସହ ଜଡ଼ିତ ସମସ୍ତଙ୍କର ପରାମର୍ଶ ଲୋଡ଼ାଯିବ । ରାଜ୍ୟ ସରକାର ପରବର୍ତୀ ନିଷ୍ପତି ନେବା ପରେ କାର୍ଯ୍ୟ ଆଗକୁ ବଢିବ । ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଓ ବିଶେଷଜ୍ଞ ଟିମ୍ ପ୍ରଥମ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ୩ ଘଂଟା ୫୦ ମିନିଟ୍ ସର୍ଭେ କାର୍ଯ୍ୟ କରିଥିଲେ । ଗତକାଲି ଏନଜିଆରଆଇର ତିନି ଜଣ ବୈଜ୍ଞାନିକ ଏବଂ ଏଏସଆଇ ର ତିନି ଜଣ ବିଶେଷଜ୍ଞଙ୍କ ଟିମ୍ ଓ ଦୁଇଟି କଂଟ୍ରୋଲ ୟୁନିଟ୍, ତିନୋଟି ରାଡାର ୟୁନିଟ୍ ଏବଂ ଗୋଟିଏ କାର୍ଟ ମାଧ୍ୟମରେ ରତ୍ନଭଣ୍ଡାରରେ ସର୍ଭେ କରାଯାଇଥିଲା । ଏହି ଯାଂଚ୍ ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ପୂର୍ବରୁ ୧୭ ଜଣିଆ କମିଟି ଗଠନ କରାଯାଇଥିଲା ।