ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ସେ ଆସନ୍ତା ୮ ତାରିଖ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି, ଆଜି ଦିଲ୍ଲୀରେ ଏନଡିଏ ମେଣ୍ଟ ବୈଠକ ବସିଛି। ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି ।
ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପାଇଁ ୩୭୦ ଆସନ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଏନ୍ଡିଏ ପାଇଁ ୪୦୦ରୁ ଅଧିକ ଆସନ ଲକ୍ଷ୍ୟ ରଖିଥିଲେ। କିନ୍ତୁ ନୂଆ ଶକ୍ତି ସଂଗ୍ରହ କରିଥିବା କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ତାଙ୍କର ‘୪୦୦ ପାର୍’ ସ୍ବପ୍ନକୁ ଧୂଳିସାତ କରିଦେଇଛି। ୪୦୦ ପାର୍ ଦୂରର କଥା ଏନ୍ଡିଏ ଏଥର ୩୦୦ ଛୁଇଁପାରିନାହିଁ। ସେହିପରି ବିଜେପି ପାଇଁ ୩୭୦ ଆସନ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ଦଳ ଏକାକୀ ସରକାର ଗଠନ କରିବା ସ୍ଥିତିରେ ନାହିଁ। ସରକାର ଗଠନ ଲାଗି ୨୭୨ ଆସନ ଆବଶ୍ୟକ ଥିବା ବେଳେ ବିଜେପିକୁ ମିଳିଛି ୨୪୧ଟି ଆସନ। ଏଥରବି ସରକାର ଗଠନ ପାଇଁ ବିଜେପିକୁ ଏହାର ସହଯୋଗୀ ଦଳଙ୍କ ସମର୍ଥନର ସହଯୋଗ ନେବାକୁ ପଡ଼ିଛି।