ଆସନ୍ତାକାଲି ୧୦ ରାଜ୍ଯର ୯୬ ଆସନ ଲାଗି ହେବ ମତଦାନ । ଆନ୍ଧ୍ରପ୍ରଦେଶର ୨୫ଟି, ବିହାରର ୫ଟି, ଝାଡଖଣ୍ଡର ୪ଟି, ମଧ୍ଯପ୍ରଦେଶର ୮ଟି, ମହାରାଷ୍ଟ୍ରର ୧୧ଟି, ଓଡିଶାର ୪ଟି, ତେଲଙ୍ଗାନାର ୧୭ଟି, ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗର ୮ଟି ଓ ଜାମୁ-କାଶ୍ମୀରର ଗୋଟିଏ ଆସନରେ ହେବ ଭୋଟ ।୯୬ ଆସନ ଲାଗି ମଇଦାନରେ ଅଛନ୍ତି ୧ ହଜାର ୭୦୦ରୁ ଅଧିକ ପ୍ରାର୍ଥୀ । ତେଲଙ୍ଗାନାର ସମସ୍ତ ୧୭ ଆସନ ଲାଗି ସର୍ବାଧିକ ୧୪୮୮ ପ୍ରାର୍ଥୀ ଥିବାବେଳେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଆସନ ଲାଗି ମଇଦାନରେ ଅଛନ୍ତି ୧୧୦୩ ପ୍ରାର୍ଥୀ । ତେଲଙ୍ଗାନାର ମାଲକାଜଗିରିଆସନରେ ସର୍ବାଧିକ ୧୭୭ ପ୍ରାର୍ଥୀ ଅଛନ୍ତି । ମଇଦାନରେ ଅଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ, କେନ୍ଦ୍ର କୃଷି ଓ କୃଷକ କଲ୍ଯାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ଯାନନ୍ଦ ରାୟ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି, ଓ କେନ୍ଦ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ।ସେହିପରି ପୂର୍ବତନ ମୁଖ୍ଯମନ୍ତ୍ରୀ ଅଖିଳେଶ ଯାଦବ ମଇଦାନରେ ଥିବାବେଳେ ପୂର୍ବତନ ମୁଖ୍ଯମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା ପ୍ରାର୍ଥୀ ହୋଇଛନ୍ତି । ପୂର୍ବତନ ମୁଖ୍ଯମନ୍ତ୍ରୀ ୱାଇ.ଏସ. ରାଜଶେଖର ରେଡ୍ଡୀଙ୍କ ଝିଅ ୱାଇ. ଏସ ଶର୍ମିଳା ବି ପ୍ରାର୍ଥୀ ଅଛନ୍ତି । ସେହିପରି ପୂର୍ବତନ ଉପମୁଖ୍ଯନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପ୍ରୀତମ ଗୋପୀନାଥରାଓ ମୁଣ୍ଡେ ପ୍ରାର୍ଥୀ ହୋଇଛନ୍ତି ।
ତେବେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟ ପୂର୍ବରୁ ଘରେ ଭୋଟ ଦେଇଛନ୍ତି ୩୬୩୬ ଭୋଟର । ଗତକାଲିଠୁ ଡିସପୋସାଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ୩୦ ଲକ୍ଷ ୯୭ ହଜାର ପୁରୁଷ ଭୋଟର, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ ୨୯ ବର୍ଷ ମଧ୍ଯରେ ଭୋଟର ଅଛନ୍ତି । ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ କରିବେ । ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ଓ କଳାହାଣ୍ଡିରେ ସର୍ବାଧିକ ଭୋଟର ଥିବାବେଳେ ଲକ୍ଷ୍ମୀପୁର ବିଧାନସଭାରେ ସର୍ବନିମ୍ନ ଓ ଧର୍ମଗଡ଼ ବିଧାନସଭାରେ ସର୍ବାଧିକ ଭୋଟର ଅଛନ୍ତି ।
୧୨୯୪ ଜଣ ଶତାୟୁ ଭୋଟର ଥିବାବେଳେ ୬୨୯୬ ସର୍ଭିସ ଭୋଟର ଅଛନ୍ତି । ୭୧୫ ବୁଥ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ । ଆଦର୍ଶ ବୁଥ ରହିଛି ୧୨୭୬ । ସଂସଦୀୟ କ୍ଷେତ୍ର ପାଇଁ ୩୭ ଜଣ ପ୍ରାର୍ଥୀ, ବିଧାନସଭା ପାଇଁ ୨୪୩ ପ୍ରାର୍ଥୀ ମୈଦାନରେ ଅଛନ୍ତି । କୋରାପୁଟରେ ୧୧ ଜଣ, ନବରଙ୍ଗପୁରରେ ୪, କଳାହାଣ୍ଡିରେ ୧୧, ବ୍ରହ୍ମପୁରରେ ୧୧ ଜଣ ପ୍ରାର୍ଥୀ ନିଜର ଭାଗ୍ଯ ପରୀକ୍ଷା କରିବେ । ୬୦ ପ୍ରତିଶତ ବୁଥରେ ଲାଇଭ ଷ୍ଟିମ ହେବ ।ବ୍ରହ୍ମପୁର ଆସନ ପାଇଁ ଦୁଇଟି ବାଲଟ ବ୍ୟବହାର ହେବ । ମୋଟ ୧୮ ହଜାର ୫୩୯ ବାଲଟ ୟୁନିଟ ରହିଛି । ୧୨ ସହ ପୋଲିଂ ଷ୍ଟେସନରେ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ୫ଟା ପର୍ଯ୍ୟନ୍ତ ୩ ହଜାର ୫୨୨ ଷ୍ଟେସନରେ ପୋଲିଂ ହେବାକୁ ଥିବାବେଳେ ୨୫୭୫ ବୁଥରେ ସଂଧ୍ଯା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୭୩୬୩ ପୋଲିଂ ଭିତରୁ ୧୨୬୪ ବୁଥ ସମ୍ବେଦନଶୀଳ ରହିଛି । ୫୨ ହଜାର ୫ ଶହ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି ।