ଋଷ ଏବଂ ୟୁକ୍ରେନ ମଧ୍ୟରେ ୨୭ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି । ଅନେକ ଆଲୋଚନା ସହ ଅନ୍ତର୍ଜାତୀୟ ସଂଗଠନ ପରେ ମଧ୍ୟ ଏହି ଯୁଦ୍ଧ ବନ୍ଦ ହେବାର ନାଁ ଧରୁ ନାହିଁ। ଏହି ସମୟରେ, ରୁଷିଆ ସୈନ୍ୟମାନେ ୟୁକ୍ରେନରେ ସ୍ଥଳ ଭାଗରେ ଆକ୍ରମଣ ଆରମ୍ଭ କରିବା ସହ ପାଞ୍ଚଟି ଗାଁକୁ ନିଜ ଦଖଲକୁ ନେଇଛନ୍ତି ବୋଲି କୁହାଯାଉଛି। କିନ୍ତୁ ୟୁକ୍ରେନ ଅଧିକାରୀମାନେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ କରିନାହାନ୍ତି।ୟୁକ୍ରେନର ଖାର୍କିଭ ଏବଂ ରୁଷିଆ ସୀମାରେ ଥିବା ଏକ ବିବାଦୀୟ ଗ୍ରେ ଜୋନ୍ରେ ରହିଛି। ଏକ ମିଡ଼ିଆ ରିପୋର୍ଟରେ ଦାବି କରିଛି ଯେ, ୟୁକ୍ରେନର ବୋରସିଭ୍କା, ଓହର୍ଟସେଭ୍, ପିଲନା,ପ୍ଲାଟିନିଭ୍କା ଏବଂ ଷ୍ଟ୍ରିଲେଚା ଗ୍ରାମଗୁଡିକ ରୁଷିଆ ସୈନ୍ୟମାନେ ଦଖଲ କରିଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ଶନିବାର ସନ୍ଧ୍ୟାରେ କହିଛନ୍ତି ଯେ ଷ୍ଟ୍ରିଲେଚା ଏବଂ ପ୍ଲେଟେନିଭ୍କା, କ୍ରାସ୍ନେ, ମୋରୋକୋଭେଟସ୍, ଓଲିନିକୋଭ, ଲୁକିଆଣ୍ଟି ଏବଂ ହାଥାଇସରେ ମଧ୍ୟ ଯୁଦ୍ଧ ଜାରି ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସୈନ୍ୟମାନେ ରୁଷିଆ ସୈନ୍ୟଙ୍କୁ ପାଲଟା ଜବାବ ଦେଉଛନ୍ତି ଏବଂ ୟୁକ୍ରେନ ଅଞ୍ଚଳକୁ ସୁରକ୍ଷା ଦେଉଛନ୍ତି।ଇନଷ୍ଟିଚ୍ୟୁଟ୍ ଫର ଷ୍ଟଡି ଅଫ୍ ୱାର୍ ଅନୁଯାୟୀ ଅତି କମରେ ଗୋଟିଏ ଗାଁକୁ ଦଖଲ ହୋଇଛି। ୟୁକ୍ରେନ ଅଧିକାରୀଙ୍କ ଅନୁଯାୟୀ, ଏହି ଅଞ୍ଚଳରେ ଆକ୍ରମଣ ଯୋଗୁ ବସ୍ତିରେ ରହୁଥିବା ୧,୭୦୦ ରୁ ଅଧିକ ସାଧାରଣ ନାଗରିକ ଜୀବନ ଭୟରେ ପଳାୟନ କରିଛନ୍ତି। ତେବେ ଏହି ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଭାରତ ସମେତ ଅନେକ ରାଷ୍ଟ୍ର ଚେଷ୍ଟା କରିଥିଲେ ମଧ୍ୟ କୌଣସି ଫଳ ମିଳିନି।