କେଦାରନାଥରେ ସୁନା ଦୁର୍ନୀତି, ଚର୍ଚ୍ଚା ବଢ଼େଇଲା ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀଙ୍କ ବୟାନ। ବୁରାଡିରେ କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ଆଲୋଚନା ଭିତରେ ଶଙ୍କରାଚାର୍ଯ୍ୟଙ୍କ ଏହି ବୟାନ ହଇଚଇ ସୃଷ୍ଟି କରିଛି। ସେ କହିଛନ୍ତି, କେଦାରନାଥରେ ଏକ ସୁନା ଦୁର୍ନୀତି ହୋଇଛି, କାହିଁକି ଏହି ପ୍ରସଙ୍ଗ ଉଠାଯାଇ ନାହିଁ? କେଦାରନାଥରେ ହୋଇଥିବା ଦୁର୍ନୀତି ପରେ ବର୍ତ୍ତମାନ କେଦାରନାଥ ଦିଲ୍ଲୀରେ ନିର୍ମାଣ ହେବ। ତା’ପରେ ପୁଣି ଏକ ଦୁର୍ନୀତି ହେବ।କେଦାରନାଥରୁ ୨୨୮ କିଲୋଗ୍ରାମ ସୁନାର ପତ୍ତା ମିଳୁନି ବୋଲି ସେ କହିଛନ୍ତ। ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି ଅନୁସନ୍ଧାନ କରାଯାଇ ନାହିଁ। ଏଥିପାଇଁ କିଏ ଦାୟୀ? ବର୍ତ୍ତମାନ କୁହାଯାଉଛି ଯେ ଦିଲ୍ଲୀରେ କେଦାରନାଥ ନିର୍ମାଣ ହେବ, ଏହା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚରାଯାଇଥିବା ପ୍ରଶ୍ନ ଉପରେ ସେ କହିଛନ୍ତି, ସେ ମୋ ପାଖକୁ ଆସି ପ୍ରଣାମ କରିଥିଲେ। ଆମର ନିୟମ ଅନୁଯାୟୀ ଆମେ ତାଙ୍କୁ ଆଶୀର୍ବାଦ ଦେଇଥିଲୁ। ନରେନ୍ଦ୍ର ମୋଦୀ ଆମର ଶତ୍ରୁ ନୁହଁନ୍ତି। ଆମେ ତାଙ୍କର ଶୁଭେଚ୍ଛୁ, ସର୍ବଦା ତାଙ୍କ କଲ୍ୟାଣ ଚାହୁଁ। ଯଦି ତାଙ୍କ ଦ୍ବାରା କୌଣସି ଭୁଲ ହୁଏ ଆମେ ତାହା ବିଷୟରେ କହିବୁ।ଦିଲ୍ଲୀର କେଦାରନାଥ ମନ୍ଦିର ନିର୍ମାଣକୁ ନେଇ ରବିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, ରାଜଧାନୀ ଦିଲ୍ଲୀରେ କେଦାରନାଥ ଧାମଙ୍କ ନାମରେ ମନ୍ଦିର ନିର୍ମାଣର ଆବଶ୍ୟକତା କ’ଣ ରହିଛି। କେଦାରନାଥ ଧାମଙ୍କ ସମ୍ମାନ ଏବଂ ଗୁରୁତ୍ୱ ହ୍ରାସ କରିବାକୁ ଏହା ଏକ ପ୍ରୟାସ ବୋଲି ସେ କହିଛନ୍ତି।