ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲାରେ ବଢୁଛି ଅଭିନେତ୍ରୀ ରିୟା ଦେଙ୍କ ଅଡ଼ୁଆ। ଭୁବନେଶ୍ଵରରୁ ମାମଲା କଟକ ଯିବା ପରେ ପୋଲିସ ଜେରାର ଶିକାର ହୋଇଛନ୍ତି ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ ସୁନୀଲ । ବିଡାନାସୀ ସ୍ଥିତ ଘରେ ପୋଲିସ ପହଞ୍ଚି ଖାନତଲାସ କରିବା ସହ ରିୟା ଏବଂ ତାଙ୍କ ସ୍ବାମୀଙ୍କୁ ଜେରା କରିଥିବା ଜଣା ପଡ଼ିଛି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମଧ୍ୟ ନିଜ ଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାର ଗୁରୁତ୍ବକୁ ଦେଖି ୨୫ ତାରିଖ ସୁଦ୍ଧା ଏ ପ୍ରସଙ୍ଗରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବର ଡିସିପି, ଖୋର୍ଦ୍ଦା ଡିଏଲଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି ଘଟଣାର ରିପୋର୍ଟ ଦେବେ । ରିୟାଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିପାରେ ବୋଲି କୁହାଯାଉଛି। ଉଭୟ ସ୍ବାମୀ ସ୍ତ୍ରୀ ଖୁବଶୀଘ୍ର ଗିରଫ ମଧ୍ୟ ହୋଇପାରନ୍ତି। ନାବାଳିକାଙ୍କୁ କାମରେ ଲଗେଇ ଶିଶୁ ଶ୍ରମିକ ଆଇନ ଉଲଙ୍ଘନ କରିଛନ୍ତି, ତାକୁ ମାଡ଼ ମାରି ବା ଶାରୀରିକ ମାନସିକ ନିର୍ଯାତନା ଦେଇ ସବୁଠୁ ବଡ଼ ଭୁଲ କରିଛନ୍ତି ବୋଲି ଆଇନ ବିଶାରଦ ମତ ଦେଇଛନ୍ତି।
ରିୟାଙ୍କ ଘରେ ନାବାଳିକା ଜଣକ ଦେଢ଼ ବର୍ଷ ହେବ କାମ କରୁଥିବା ବେଳେ ୮ ତାରିଖ ଦିନ ନାବାଳିକା ଜଣଙ୍କ ଘରୁ କେଉଁଆଡୁ ପଳାଇଯାଇଥିଲେ । ଯାହାକୁ ନେଇ ରିୟା ଏବଂ ତାଙ୍କ ସ୍ବାମୀ ୯ ତାରିଖରେ ବିଡାନାସୀ ଥାନାରେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ । ହେଲେ ଘଟଣାର ସତ ଯେତେବେଳେ ପଦାକୁ ଆସିଲା ସମସ୍ତେ ଚକିତ ହୋଇଥିଲେ। ସେହିଦିନ ଚନ୍ଦ୍ରଶେଖରପୁର ଥାନାରେ ସହାୟିକା ଜଣଙ୍କ ରିୟା ଏବଂ ସୁନୀଲଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । ରିୟାଙ୍କ ସ୍ବାମୀ ସୁନୀଲ ବିୟର ବୋତଲରେ ତାଙ୍କୁ ବାଡେଇ କ୍ଷତାକ୍ତ କରିଥିବା ଅଭିଯୋଗ କରିଛନ୍ତି ସହାୟିକା। ଯେଉଁଥି ପାଇଁ ସେ ଚାଲିବାକୁ ସକ୍ଷମ ହେଉ ନଥିବା କହିଥିଲେ ସହାୟିକା। ତେବେ ସହାୟିକା ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଖାରଜ କରିଛନ୍ତି ଉଭୟ ପତି ପତ୍ନୀ । ତେବେ ଆଜି କଣ ପଚରା ଉଚରା କରିଛି ପୋଲିସ ତାହା ଜଣା ପଡି ନାହିଁ।