ସବଡିଭିଜନ ସ୍ତରରେ ୫୮ଟି ଶୀତଳ ଭଣ୍ଡାର ଖୋଲାଯିବ। କୃଷି ଭବନରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଚାଷୀଙ୍କ ଆୟ ଦୁଇ ଗୁଣା କରିବାକୁ ସମୃଦ୍ଧ କୃଷକ ନୀତି ଅଣାଯିବ। ଉତ୍ପାଦନଠୁ ମାର୍କେଟିଂ ଯାଏଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ପ୍ରଧାନମନ୍ତ୍ରୀ କିସାନ ଯୋଜନାରୁ ବଞ୍ଚିତ ଅଛନ୍ତି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍ କରାଯିବ। କେବଳ ଭୂମିହୀନ ଚାଷୀଙ୍କୁ ଛାଡି ପ୍ରଧାନମନ୍ତ୍ରୀ କିସାନ ପାଇଁ ଯୋଗ୍ୟ ବିବେଚିତ ହେଉଥିବା କାଳିଆ ହିତାଧିକାରୀଙ୍କୁ ସାମିଲ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୃଷକମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ ।ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ଵତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସଂପର୍କରେ ବୁଝାଇ ଥିଲେ। ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତ୍ତା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।