ବାର୍ବାଡୋସରୁ ଫେରି ମୋଦିଙ୍କୁ ଭେଟିଲେ ବିଶ୍ଵ ବିଜେତା ଦଳ। ସାମୁଦ୍ରିକ ଝଡରୁ ମୁକୁଳି ଭାରତ ପହଞ୍ଚିଛି ବିଶ୍ୱ ଚାମ୍ପିୟନ ଭାରତୀୟ ଟିମ୍। ଜୁନ୍ ୨୯ରେ ବାର୍ବାଡସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳା ଯାଇଥିଲା। କିନ୍ତୁ ସେଠାରେ ଏକ ଘୂର୍ଣ୍ଣିଝଡ଼ ପାଇଁ ଫସି ରହୁଥିଲା ଦଳ। ଜୁଲାଇ ୧ରେ ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ବିସିସିଆଇ ବାର୍ବାଡସକୁ ସ୍ୱତନ୍ତ୍ର ବିମାନ ପଠାଇଥିଲା। ଏହାପରେ ମଧ୍ୟ ପାଗରେ ପରିବର୍ତ୍ତନ ନ ଆସିବାରୁ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲେ। ଆଜି ଭାରତୀୟ ଟିମ୍ ଦେଶରେ ପହଞ୍ଚିଥିଲା।
ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଆଜି ଦିଲ୍ଲୀରେ ପହଞ୍ଚିଥିଲା ଭାରତୀୟ ଟିମ। ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରିଛି। ଖେଳାଳିମାନେ ମଧ୍ୟ ଭାରତ ଫେରିବା ପରେ ରାସ୍ତା ଉପରେ ନାଚିଛନ୍ତି। ଭାରତରେ ପହଞ୍ଚିବା ପରେ ହାତରେ ଟ୍ରଫି ମୁହଁରେ ଆତ୍ମବିଶ୍ବାସର ହସ ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛି ଦଳ। ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ ଖେଳାଳିମାନଙ୍କୁ ବିଶ୍ୱକପର ସଂଘର୍ଷମୟ ଯାତ୍ରା ବିଷୟରେ ପଚାରିଥିବା ବେଳେ ଖେଳାଳିମାନେ ଜଣ ଜଣ କରି ସେହି ଅବିସ୍ମରଣୀୟ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ଦିଲ୍ଲୀ ସେଭେନ୍ ଲୋକକଲ୍ୟାଣ ମାର୍ଗ ବାସଭବନରେ ମୋଦି ଭାରତୀୟ ଟିମ୍ ସହ ପ୍ରାୟ ୯୦ ମିନିଟ୍ ଆଲୋଚନା କରିଥିଲେ।
ବିଶ୍ୱକପ ଓ ଭାରତୀୟ ଟିମ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ସମସ୍ତେ ଗୋଟିଏ ଫଟୋ ଉଠାଇଛନ୍ତି। ଭାରତର ଏହି ବିଜୟ ପାଇଁ ମୋଦି ବେଶ ଖୁସି ଥିବା ଭାଇରଲ ଫଟୋ ଭିଡିଓରୁ ଦେଖିବାକୁ ମିଳିଛି। ତେବେ ୧୭ ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ।ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ। ସେଠାରେ ଭବ୍ୟ ସ୍ୱାଗତ ପରେ ଅଧିନାୟକ ରୋହିତ ଶର୍ମା ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କୁ ବିଶ୍ୱକପ୍ ହସ୍ତାନ୍ତର କରିବେ।