ସ୍ୱଦେଶ ଫେରିଲେ ଭାରତୀୟ ଖେଳାଳି । ବାର୍ବଡସରେ ଫସି ରହିଥିବା ଟି-୨୦ ବିଶ୍ୱ ଚାମ୍ପିୟନ ଟିମ ଇଣ୍ଡିଆ ଟିମ୍ ଦେଶକୁ ଫେରିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଖେଳାଳିଙ୍କୁ ସ୍ୱାଗତ କରିବା ଲାଗି ପ୍ରଶଂସକମାନେ ବ୍ୟାଣ୍ଡ ବାଜା ନେଇ ବିମାନବନ୍ଦରରେ ଉପସ୍ଥିତ ଥିଲେ । ଖେଳାଳିମାନେ ପହଞ୍ଚିବା ମାତ୍ରେ ଚକ ଦେ ଇଣ୍ଡିଆ ଗୀତରେ ଧୁମ ନାଚିବା ସହ ସମସ୍ତ ଖେଳାଳିଙ୍କୁ ମଧ୍ୟ ନଚାଇଥିଲେ । ଏହି ସମୟରେ ଅଧିନାୟକ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତଙ୍କ ନୃତ୍ୟ ଦେଖି ପ୍ରଶଂସକ ବି ବେଶ ଖୁସି ହୋଇଛନ୍ତି । ପଞ୍ଜାବୀ ଧୁମରେ ଖେଳାଳି ମାନେ ଏଭଳି ନୃତ୍ୟ କରିଥିଲେ ଯେ ଉପସ୍ଥିତ ଜନତା ଖୁସି ହୋଇଯାଇଥିଲେ । ଟିମ୍ ଇଣ୍ଡିଆ ସ୍ୱଦେଶ ଫେରିବା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।ଏବଂ ସନ୍ଧ୍ୟାରେ ମୁମ୍ବାଇରେ ଗ୍ରାଣ୍ଡ ସେଲିବ୍ରେସନର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ପ୍ରକାଶ ଥାଉ ଯେ, ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଆସି ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ ବାର୍ବୋଡସର ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଟିମର ଖେଳାଳି, ସପପୋର୍ଟ ଟିମ୍ ଏବଂ ସାମ୍ବାଦିକମାନଙ୍କୁ ନେଇ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା।