ନିୟନ୍ତାଙ୍କ ଅଣସର ସେବା । ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଲାଗିପଡ଼ିଛନ୍ତି ଦଇତାପତି ସେବକ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲାନୀତି ସହ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟାନୀତି ସରିଛି । ପଞ୍ଚମୀ ତିଥିରେ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଜ୍ୱର ପିଡ଼ାରୁ ଧୀରେ ଧୀରେ ଉପଶମ ପାଉଛନ୍ତି ମହାପ୍ରଭୁ। ଗତକାଲି ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ ହୋଇଥିଲା। ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ, ବଡ଼ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା। ଏହା ପରେ ବଡ଼ ଓଡ଼ିଆ ମଠ ମହନ୍ତ ବଂଶୀଧର ଦାସଗୋସ୍ବାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମଠର ସାଧୁସନ୍ଥମାନେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣରେ ପ୍ରସ୍ତୁତ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ନେଇଥିଲେ। ପ୍ରତିବର୍ଷ ଭଳି ଆଜି ବି ବଡ଼ ଓଡ଼ିଆ ମଠରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ସହକାରେ ସାଧୁସନ୍ଥଙ୍କ ଗହଣରେ ତିନିଟି ସେରିକିଆ ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯାଇଥିଲା।
ଅଣସରର ଆଜି ହେଉଛି ଷଷ୍ଠୀ ତିଥି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ । ଅଣସର ସୁଦ୍ଧସୁଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲକର୍ପୁର ଆଦି ସମିଶ୍ରଣ କରି ଏକ ଔଷଧୀୟ ଓସ୍ୱ ପ୍ରସ୍ତୁତ କରିଥାନ୍ତି । ଏହାକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି, ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓସ୍ୱ ଲାଗି ସେବା ଷଷ୍ଠୀଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଚାଲିଥାଏ ।