ଜ୍ଵରରେ ଥରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଅଣସର ଘରେ ଚାଲିଛି ଗୁପ୍ତ ସେବା। ଜ୍ଵରରେ କମ୍ପୁଛି ଶ୍ରୀଅଙ୍ଗ।ଅଣସର ବାସରେ ଥିବା ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡ଼ିବୁଟିଯୁକ୍ତ ଔଷଧୀୟ ‘ଫୁଲୁରି ତେଲ’ ଲାଗି ହୋଇଛି। ସବୁ ବର୍ଷ ପରି ବଡ଼ଓଡ଼ିଆ ମଠ ପକ୍ଷରୁ ଜଡ଼ିବୁଟିରେ ସ୍ୱତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇ ଆସିଥିଲା।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ପରମ୍ପରା ମୁତାବକ ବଡ଼ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ‘ଫୁଲୁରି ତେଲ’ ବିଜେ ପାଇଁ ଖବର ଯାଇଥିଲା। ଏହାପରେ ବଡଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ମହୌଷଧୀଯୁକ୍ତ ‘ଫୁଲୁରି ତେଲ’କୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ। ଶ୍ରୀଜିଉଙ୍କ ପାଇଁ ତିନିଟି ସେରିକିଆ ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯିବା ସହ ଜ୍ବର ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ହୋଇଥିଲା। ଏହାପରେ ଧୀରେ ଧୀରେ ସୁସ୍ଥ ହେବେ ବ୍ରହ୍ମାଣ୍ଡ ଗୋସାଇଁ।
କେମିତି ପ୍ରସ୍ତୁତ ହୁଏ ଏହି ଫୁଲୁରି ତେଲ-ମହାପ୍ରଭୁଙ୍କୁ ଅଙ୍ଗ ଲାଗି ହେଉଥିବା ଦିବ୍ୟ ‘ଫୁଲୁରି ତେଲ’ର ପ୍ରସ୍ତୁତି ଶୈଳୀ ସଂପୂର୍ଣ୍ଣ ଭିନ୍ନ। ଏହି ତୈଳ ପାଇଁ ତିନିଟି ତିନି ସେରିକିଆ ମାଟି ଘଡ଼ି ବ୍ୟବହାର ହୋଇଥାଏ। ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ କରଯାଇଥାଏ। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ବଡ଼ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ସ୍ବତନ୍ତ୍ର ଶୈଳୀ ବ୍ୟବହାର କରିଥାନ୍ତି। ଯାହା ଆଜି ପର୍ଯ୍ୟନ୍ତ ଗୋପନ ରଖାଯାଇଛି। ପ୍ରତିବର୍ଷ ହେରାପଞ୍ଚମୀ ଦିନ ଏହି ମିଶ୍ରଣକୁ ମାଟି ତଳେ ପୋତାଯାଏ। ପ୍ରାୟ ବର୍ଷେ ଧରି ମାଟି ତଳେ ରହିବା ପରେ ଏହି ମହୌଷଧୀକୁ ମାଟିରୁ ବାହାର କରାଯାଇଥାଏ। ପରେ କପଡ଼ାରେ ଛଣାଯାଇ ମାଟି ପାତ୍ରରେ ଶ୍ରୀମନ୍ଦିରକୁ ନିଆଯାଇଥାଏ। ଗାରଦରେ ଦାଖଲ ପରେ ଦଇତାପତି, ପତିମହାପାତ୍ର ସେବକମାନେ ଏହାକୁ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି।