ଚାନ୍ଦବାଲି ଥାନା ସମ୍ମୁଖରେ ଦଳିତ ନାବାଳିକା ଝିଅ ଏବଂ ମା’ଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ଘଟଣାରେ ଭଦ୍ରକ ଏସପି ଜଣେ ASI, ଜଣେ କନଷ୍ଟେବଲ୍ ଓ ଜଣେ ହୋମଗାର୍ଡଙ୍କୁ ବଦଳି କରିଛନ୍ତି। ଏହି ତିନି ଜଣଙ୍କୁ ଭଦ୍ରକ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଘଟଣାଟି ଜୁନ୍ ୨୫ ସନ୍ଧ୍ୟା ସମୟରେ ଘଟିଥିଲା।ଖବର ଅନୁଯାୟୀ, ୨୫ ତାରିଖ ସନ୍ଧ୍ୟାରେ ରାଜନଗରର ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କିଏ ମାରପିଟ କରିଥିବା ନେଇ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଉଥିଲା। ସେ ଥାନା ସମ୍ମୁଖରୁ ଏକ ନୂଆ ଚପଲ ପିନ୍ଧି ଯାଇଥିବା ବେଳେ ଖୋଳକୁ ସେଠାରେ ଫୋପାଡ଼ି ଦେଇଥିଲେ। ଉକ୍ତ ଖୋଳରେ ମହିଳାଙ୍କ ଝିଅ ଖେଳିଥିଲା। ଝିଅ ଖେଳି ସାରିବା ପରେ ମହିଳା ଜଣଙ୍କ ଏହି ଖୋଳକୁ ଗେଟ୍ ପାଖକୁ ଫୋପାଡ଼ି ଦେଇଥିଲେ। ମାତ୍ର ଉକ୍ତ ଖୋଳକୁ ଡଷ୍ଟବିନରେ ପକାଇବାକୁ ଜଣେ କନଷ୍ଟେବଳ ମହିଳାଙ୍କୁ କହିଥିଲେ। ହେଲେ ସେ ମନା କରିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ଏଥିରେ ଉତ୍କ୍ଷିପ୍ତ ହୋଇ କନଷ୍ଟେବଳ ଉକ୍ତ ମହିଳାଙ୍କ ଗାଲକୁ ସାତ ଆଠ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।ପରେ ମହିଳା ଜଣଙ୍କ ପାଟି କରିବାରୁ କନଷ୍ଟେବଳ ଜଣକ ତାଙ୍କୁ ଏକ ବାଡ଼ିରେ ନିର୍ଧୂମ ପିଟିଥିଲେ ବୋଲି ଅଭିଯୋଗ ହୋଇଛି। ଏହାପରେ ୩ ଜଣ ପୁଲିସ୍ ପହଞ୍ଚି ତାଙ୍କୁ ଜବରଦସ୍ତି ଟେକି ନେଇ ଥାନା ଗେଟ୍ ବାହାରେ ଛାଡ଼ି ଦେଇଥିଲେ। ଏହି ଟଣାଓଟରା ସମୟରେ ମହିଳାଙ୍କ ପିନ୍ଧା ଶାଢୀ ଚିରି ଯାଇଥିଲା। ଅସହାୟ ମହିଳାଙ୍କୁ ଜୋରଜବଦସ୍ତି ଭାବେ ଟେକି ଟେକି ନେଇ ଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଏହି ଘଟଣାରେ ପୁଲିସ କର୍ମଚାରୀଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।ପୋଲିସ ଏବେ ଏହି ମାମଲାର ତଦନ୍ତ କରୁଛି। ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି କହିଛନ୍ତି।