ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି। ୫୦ ଟଙ୍କାରୁ ତଳକୁ ପରିବା ବଜାରରେ ନାହିଁ। କ’ଣ ଖାଇବେ, କେଉଁ ପରିବା କିଣିବେ ଲୋକେ ଚିନ୍ତାରେ ପଡିଥିବା ବେଳେ ଏବେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପରିବା ଦର ବୃଦ୍ଧି ନେଇ ଲୋକଙ୍କୁ ଚିନ୍ତା ନକରିବା ପାଇଁ କହିଛନ୍ତି ମନ୍ତ୍ରୀ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ଆଳୁ, ପିଆଜ ଇତ୍ୟାଦି ଯୋଗାଇ ଦେବା ପାଇଁ ନାଫେଡକୁ କୁହାଯିବ । ଏହା ସହିତ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ତିଆରି ହେବ ବୋଲି ବଡ ଘୋଷଣା କରିଛନ୍ତି ମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟ ପକ୍ଷରେ ହୋର୍ଡିଂ ଉପରେ ମଧ୍ୟ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
କୌଣସି ଘଟଣା ସାମ୍ନକୁ ଆସିଲା ତୁରନ୍ତ କାର୍ଯ୍ୟନୁଷ୍ଠାନ ନିଆଯିବ ।ମନ୍ତ୍ରୀ କହିଛନ୍ତି, ପିଆଜ ନାସିକ ଓ ଆନ୍ଧ୍ରରୁ ପାଖାପାଖି ୨୯ ଟଙ୍କାରେ ଆସୁଥିବା ବେଳେ ପରିବହନ ଖର୍ଚ୍ଚ ମିଶି ଏହା ପାଖାପାଖି ୩୪ ଟଙ୍କା ହେଇଯାଉଛି । ପରେ ଏଥିରେ ରିଟେଲିଂ ଓ ହୋଲସେଲିଂ ବାଲା ତାଙ୍କର ଲାଭ ରଖିଲା ବେଳକୁ ଏହା ୪୦ ଟଙ୍କା ପାଖାପାଖି ହେଇଯାଉଛି । ସେହିପରି ଆଳୁ ପାଇଁ ମଧ୍ୟ ଆସାମ ଓ ପଶ୍ଚମିବଙ୍ଗ ଉପରେ ନିର୍ଭର କରିବାକୁ ପଡିଛି । ଯାହା ପରେ ସାଧାରଣ ମାର୍କେଟରେ ଏହାର ଦର ଟିକେ ଆବଶ୍ୟକତା ଠାରୁ ଅଧିକ ରହିଛି । ଯେପରି ଆଗକୁ ଅଧିକ ଦର ନ ବଢେ ସେନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏଥିପାଇଁ ଆଗାମୀ ଦିନରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଯୋଜନା ଚାଲିଛି । ସେପଟେ ଟମାଟୋ ଓ ଅନ୍ୟ ପରିବା ଉପରେ ମନ୍ତବ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଏହା ଉପରେ ଆମର ନିୟନ୍ତ୍ରଣ ନାହିଁ ତଥାପି ଏନେଇ ଆମେ ଆଲୋଚନା କରୁଛୁ ।