ଆନ୍ଧ୍ରପ୍ରଦେଶରେ କ୍ଷମତା ପରିବର୍ତ୍ତନ ହେବା ପରେ ଆରମ୍ଭ ହୋଇଛି ପାୱାର ଲଢେଇ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇଏସଆର ଜଗନ ମୋହନ ରେଡ୍ଡୀଙ୍କ ରୁଶିକୋଣ୍ଡା ହିଲ୍ ପ୍ୟାଲେସ୍‌କୁ ନେଇ ବେଶ୍‌ ସରଗରମ ରହିଛି ଆନ୍ଧ୍ର ରାଜନୀତି। ଏହି ମହଲ ୪୫୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଆନ୍ଧ୍ରପ୍ରଦେଶରେ ଏହାର ନାମ ଜଗନ ପ୍ୟାଲେସ ରଖାଯାଉଛି, ଏହାର ଫଟୋ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ।

ଓ୍ବାଇଏସଆର ଜଗନ ମୋହନ ରେଡ୍ଡୀଙ୍କ ଏହି ଜଗନ ପ୍ୟାଲେସ ବିଶାଖାପାଟନମ ସମୁଦ୍ର କୂଳରେ ଥିବା ରୁଶିକୋଣ୍ଡା ହିଲ ଉପରେ ନିର୍ମିତ। ଏଥିରେ ଥିଏଟର ହଲ, ୧୨ ବିଳାସପୂର୍ଣ୍ଣ ଶୟନ କକ୍ଷ, ପ୍ରତ୍ୟେକ ୧୫-୧୫ ଲକ୍ଷ ଟଙ୍କା ମୂଲ୍ୟର ୨୦୦ ଝୁମର ଲଗାଯାଇଛି। କେବଳ ଏହି ଘରର ଭିତର ଭାଗରେ ୩୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଜଗନ ପ୍ୟାଲେସରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସ୍ପା ସେଣ୍ଟର ଏବଂ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମସାଜ ଟେବୁଲ ରହିଛି।ଏଥିରେ ୪୦ ଲକ୍ଷ ଟଙ୍କା ବ୍ୟୟରେ କେବଳ ବାଥରୁମ ନିର୍ମାଣ କରାଯାଇଛି ଏବଂ ପ୍ରତ୍ୟେକରେ ୧୨ ଲକ୍ଷ ଟଙ୍କା ମୂଲ୍ୟର କମୋଡ ଅଛି। ଏହା ୯.୯ଏକର ଜମିରେ ନିର୍ମାଣ କରାଯାଇଛି। ଏହି ବ୍ଲକରେ ଭୋଜି ସୁବିଧା, ଅତ୍ୟାଧୁନିକ ସମ୍ମିଳନୀ ହଲ, ପ୍ରଶସ୍ତ କରିଡର ଏବଂ ଉତ୍କୃଷ୍ଟ ଆଲୋକ ରହିଛି। ଆନ୍ଧ୍ରପ୍ରଦେଶର ଆର୍ଥିକ ଅବସ୍ଥା ଭଲ ନାହିଁ ।

ରାଜ୍ୟ ୧୨ ଲକ୍ଷ କୋଟି ଟଙ୍କାର ଋଣରେ ବୁଡି ରହିଛି । ଏହି ସମୟରେ ସରକାରୀ ଅର୍ଥରେ ଏପରି ବ୍ୟୟବହୁଳ ଘର ବନାଇବା ନେଇ ଜଗନଙ୍କୁ ଘେରିଛି ଟିଡିପି । ଟିଡିପି ମୁଖପାତ୍ର ପଟ୍ଟାଭୀ ରାମ କୋମାରେଡି କହିଛନ୍ତି, ରୁଶିକୋଣ୍ଡା ପ୍ୟାଲେସରେ ଜଗନ୍ ମୋହନ ରେଡ୍ଡୀଙ୍କୁ ବିଳାସପୂର୍ଣ୍ଣ ସୁବିଧା ଦିଆଯାଇଛି, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଟିଡିପିର ଅଭିଯୋଗକୁ ଖଣ୍ଡନ କରିଛି ଜଗନଙ୍କ ଦଳ YSRCP । ପାର୍ଟି ମୁଖପାତ୍ର କାନୁମୁରୀ ରବି ଚନ୍ଦ୍ର ରେଡ୍ଡୀ କହିଛନ୍ତି ଯେ ଏହି ମହଲ ଜଗନ୍ ମୋହନ ରେଡ୍ଡୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ବରଂ ଏହା ସରକାରୀ ସମ୍ପତ୍ତି ।ସେପଟେ ଏହି ପ୍ରାସାଦକୁ ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବା ସହ ଏହାର ଅନ୍ୟାନ ସଦୁପଯୋଗ କରାଯାଇ ପାରିବ ବୋଲି YSRCP ପକ୍ଷରୁ କୁହାଯାଇଛି ।

Please follow and like us:
Pin Share

Leave a Reply

Your email address will not be published. Required fields are marked *