ଗୁରୁବାର ସୁନ୍ଦରଗଡ଼ ଜିଲ୍ଲାରେ ୧୬ ଜଣଙ୍କ ମୃତ୍ଯୁକୁ ନେଇ ଚାଞ୍ଚଲ୍ଯ ଖେଳିଯାଇଛି । ସୁନ୍ଦରଗଡ଼ ମେଡିକାଲରେ ୪ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୨ ଜଣଙ୍କ ମୃତ୍ଯୁ ହୋଇଛି। ତେବେ ମୃତ୍ଯୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଂଶୁଘାତରେ ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ମଧ୍ଯରୁ ୧୧ ଜଣ ରାଉରକେଲା ସରକାରୀ ଡାକ୍ତରଖାନା ଓ ଅନ୍ଯ ୪ ଜଣ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଉପରେ ନଜର ରଖିଛନ୍ତି ।
ରାଉରକେଲା ମହାନଗର ନିଗମ କମିଶନର ଓ ପାନପୋଷ ଉପଜିଲ୍ଲାପାଳ ଗୁରୁବାର ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ସମସ୍ତଙ୍କର ମୃତ୍ଯୁ ହେଲା ସେନେଇ ତଦନ୍ତ କରାଯାଉଛି ।
ଅନ୍ୟପଟେ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି। ଏଥି ପାଇଁ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ SRC ହିଟ୍ୱେଭ ଆର୍ଲଟ ଜାରି କରିଛନ୍ତି। ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ହିଟ୍ୱେଭ ୱାର୍ଣ୍ଣିଂ ଦିଆଯାଇଛି। ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି SRC।