ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଚଳଚଞ୍ଚଳ ରାଜ୍ୟ ରାଜନୀତି। ଜୁନ ପହିଲାରେ ହେବାକୁ ଥିବା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ।ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି।ଏହି କ୍ରମରେ ଆଜି ଓଡିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ରାହୁଲ ଗାନ୍ଧି। ଓଡ଼ିଶା ଗସ୍ତରେ ଆସି ସିମୁଳିଆରେ ଜନସଭାକୁ ସମ୍ବୋଧିତ କରୁଛନ୍ତି ରାହୁଲ ଗାନ୍ଧି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, ବିଜେପି ସମ୍ବିଧାନକୁ ଶେଷ କରିବାକୁ କରିବାକୁ ଚାହୁଁଛି। ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ଯିଏ ସମ୍ବିଧାନକୁ ସମାପ୍ତ କରିଦେବ। ଯେତେ ବି ଶକ୍ତି ଲଗାନ୍ତୁ ସମ୍ବିଧାନକୁ ସମାପ୍ତ କରିପାରିବେ ନାହିଁ। ମୋଦି ସରକାର ଦେଶବାସୀଙ୍କ ବୋଝ ବଢ଼ାଇ ଦେଇଛନ୍ତି।ସେହିଭଳି ରାଜ୍ୟରେ ବିଜେପି-ବିଜେଡି ସରକାରକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ମୁଁ ବିଜେପି ବିରୋଧରେ ଲଢୁଥିବାରୁ ମୋ ନାଁରେ ୨୪ଟି ମାମଲା ହୋଇଛି। ଯଦି ନବୀନ ବିଜେପି ବିରୋଧରେ ଲଢୁଛନ୍ତି ତାଙ୍କ ନାଁରେ ମାମଲା କାହିଁକି ହେଉନି। କାରଣ ଓଡ଼ିଶାରେ ବିଜେପି-ବିଜେଡି ମିଶିକି ଅଛନ୍ତି। ସେମାନଙ୍କ ଚିନ୍ତାଧାରା ଗୋଟିଏ। ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଫିଙ୍ଗି ଦେବାକୁ ଚାହୁଁଚି ବୋଲି ରାହୁଲ ଗାନ୍ଧି କହିଛନ୍ତି।ସୂଚନା ଯୋଗ୍ୟ ଯେ, ଶେଷ ପର୍ଯ୍ୟାୟରେ ଓଡ଼ିଶାରେ ୬ ଲୋକସଭା ଆସନ ଓ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଭୋଟ ଗ୍ରହଣ ହେବ। ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ।