ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, ଏଠି ପ୍ରଚୁର ପାଣି ବି ରହିଛି। କିନ୍ତୁ ଓଡ଼ିଶା ଏବେ ବି ଗରିବ। ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି। ଓଡ଼ିଶାର ଗରିବୀ ପାଇଁ ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ବାବୁ ଦାୟୀ।କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବିଜେପିକୁ ଭୋଟ୍ ଦିଅନ୍ତୁ ଓ ଓଡ଼ିଶାକୁ ସମୃଦ୍ଧ କରନ୍ତୁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ। ୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆରେ ଲେଖି ପାରୁଥିବା ଓ ଓଡ଼ିଆ ପଢ଼ିପାରୁଥିବା ଜଣେ ମୁଖ୍ୟମନ୍ତ୍ରୀ ମିଳିବ।
ଓଡ଼ିଶାକୁ ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ? ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ୱାଭିମାନର ନିର୍ବାଚନ। ଓଡ଼ିଶାରେ ବି ମୋଦୀଙ୍କ ସରକାର ବନାଇବାକୁ ପଡ଼ିବ। ୭୫ରୁ ଅଧିକ ସିଟ୍ ଜିତି ଡବଲ ଇଂଜିନ ସରକାର କରିବ ବିଜେପି। ୪ ଜୁନରେ ନିର୍ବାଚନର ଫଳ ଆସିବ, ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ। ଓଡ଼ିଶାରେ ବିଜେପି ସରକାର ଆସିଲେ ୪ ମାସ ଭିତରେ ଭଦ୍ରକରେ ମେଡିକାଲ୍ କଲେଜ୍ ହେବ ଓ ୬ ମାସରେ ଭଦ୍ରକ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦିଆଯିବ।
ସେ ଆହୁରି କହିଛନ୍ତି, ନବୀନ ବାବୁ ଓଡ଼ିଶା ଉପରେ ଏକ ତାମିଲ ମୁଖ୍ୟମନ୍ତ୍ରୀ ଥୋପିବାକୁ ବସିଛନ୍ତି। ଓଡ଼ିଆ ଲୋକ ଆପଣଙ୍କୁ ସହିଗଲେ, ଏ ତାମିଲ ବାବୁକୁ ସହିବେନି। ଓଡ଼ିଶା ଲୋକ ଏଥର ନିଜ ମାଟିର ସନ୍ତାନକୁ ମୁଖ୍ୟମନ୍ତ୍ରୀ କରିବେ।ଓଡ଼ିଶାର ବିକାଶ ପାଇଁ ମୋଦି ୭ ଲକ୍ଷ କୋଟି ଦେଇଛନ୍ତି, କିନ୍ତୁ ନବୀନ ବାବୁଙ୍କ ବାବୁଭାୟା ୭ ଲକ୍ଷ କୋଟି ଖାଇଗଲେ।୧୮ ମାସ ମଧ୍ୟରେ ଚିଟ୍ଫଣ୍ଡ ଘୋଟାଲାକାରୀଙ୍କୁ ଜେଲ୍ରେ ପୂରାଇବୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଆସିଲେ ଚାଷୀଙ୍କ ଧାନ ୩୧ଶହରେ କିଣାଯିବ, ୪୮ ଘଣ୍ଟାରେ ଟଙ୍କା ମିଳିବ। ୨୫ ଲକ୍ଷ ଓଡ଼ିଆ ଲକ୍ଷପତି ଦିଦି ବନାଯିବ ବୋଲି ଶାହ କହିଛନ୍ତି।