ବୋଲଗଡ଼ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କଲା ପୋଲିସ। ଗିରଫ ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି ।ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଛି ପୁଲିସ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି।ସୂଚନା ଯୋଗ୍ୟ ଯେ,ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଉଁରିପାଟଣା 114 ନମ୍ବର ବୁଥରେ ଗତକାଲି (ଶନିବାର) ପ୍ରଶାନ୍ତ ତାଙ୍କର କିଛି ସମର୍ଥକଙ୍କ ସହ ଇଭିଏମ ଭଙ୍ଗାରୁଜା ଓ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା ।
କେନ୍ଦ୍ରରେ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଧିକାରୀଙ୍କ ଏତଲାକ୍ରମେ ପ୍ରଶାନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି ଅପରାହ୍ନରେ ପୋଲିସ ତାଙ୍କୁ ଅଟକ ରଖି ହେପାଜତକୁ ନେବା ସହ ସଂଧ୍ୟାରେ ଗିରଫ କରିଥିଲା । ସଂଧ୍ୟାରେ ହିଁ ତାଙ୍କୁ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା । ବେଲ୍ ନାମଞ୍ଜୁର ହେବା ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି ।
ଅଭିଯୋଗ ଅନୁସାରେ, ପ୍ରଶାନ୍ତ ଜଗଦ୍ଦେବ ଗତକାଲି (ଶନିବାର) ଅପରାହ୍ନରେ ନିଜ ପତ୍ନୀଙ୍କ ସହ ବେଗୁନିଆ ନିର୍ବାଚନ ମଣ୍ଡଳୀର କାଉଁରିପାଟଣା ବୁଥକୁ ଭୋଟ ଦେବାକୁ ଯାଇଥିଲେ । ସେଠାରେ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଧିକାରୀଙ୍କ ସହ କୌଣସି କାରଣରୁ ତାଙ୍କର ବଚସା ହୋଇଥିଲା । ପ୍ରଶାନ୍ତ ଓ ତାଙ୍କ ସମର୍ଥକ ଗୋଷ୍ଠୀ ସହ ଅପରପକ୍ଷର ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏଥିରେ ପ୍ରଶାନ୍ତ ଗୋଟିଏ ଇଭିଏମ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ପ୍ରିଜାଇଡିଂ ଅଧିକାରୀ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗୋଟିଏ କାରରେ ଫେରୁଥିବା ବେଳେ ମଝିରାସ୍ତାରୁ ପ୍ରଶାନ୍ତଙ୍କୁ ପୋଲିସ ହେପାଜତକୁ ନେଇଥିଲା ।ତେବେ କିଛି ଘଣ୍ଟା ଅଟକ ରଖାଯିବା ପରେ ସଂଧ୍ୟାରେ ତାଙ୍କୁ ବିଧିବଦ୍ଧ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।