ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତେ ଜୋରଦାର ହେବାରେ ଲାଗିଛି। ଶନିବାର କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ମୋଦି ପ୍ରଚାର କରି ଫେରିଥିବା ବେଳେ ଆଜି ପଶ୍ଚିମ ଓଡିଶାରେ ମାରାଥନ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିଦ୍ବନ୍ଦ୍ବିତା କରୁଥିବା କଣ୍ଟାବାଞ୍ଜିରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିବା ବେଳେ ମଧ୍ୟାହ୍ନରେ ବରଗଡ ବାହାରିଛନ୍ତି । ଅପରାହ୍ନରେ ବରଗଡରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ନବୀନ । ସାଙ୍ଗରେ ବିଜେଡିର ଦ୍ବିତୀୟ ଷ୍ଟାର-ପ୍ରଚାରକ ଭି.କେ ପାଣ୍ଡିଆନ ମଧ୍ୟ ଅଛନ୍ତି ।ଏନେଇ ବରଗଡ ଜିଲ୍ଲାରେ ବିଜେଡ଼ି ମହଲରେ ବ୍ୟାପକ ଉତ୍ସାହ ଦେଖିବାକୁ ଲାଗିଛି । ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ ଜର୍ଜ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅପରାହ୍ନରେ ପ୍ରାୟ ସାଢେ ୩ଟାରେ ଅବତରଣ କରିବେ । ୪ଟାରେ ଆୟୋଜିତ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଏହାପରେ ୪ଟା ୫୦ ମିନିଟରେ ସେ ପୁଣି ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ ଅଭିମୁଖେ ଉଡାଣ ଭରିବେ । ସନ୍ଧ୍ୟା ପ୍ରାୟ ୫ଟା ୧୦ ମିନିଟରେ ସେଠାରେ ମଧ୍ୟ ଏକ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବେ । ପରେ ସନ୍ଧ୍ୟାରେ ଭୁବନେଶ୍ବର ଫେରିଆସିବେ । ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରେ ମତଦାନ ହେବାକୁ ଯାଉଛି । ସମସ୍ତ ଦଳର ଷ୍ଟାର ପ୍ରଚାରକ ଏବଂ ହେଭିୱେଟ ନେତାମାନଙ୍କର ଜିଲ୍ଲାକୁ ସୁଅ ଛୁଟିବା ଜାରି ରହିଛି ।