ଦିଲ୍ଲୀ-ଏନସିଆରର ପ୍ରାୟ ୧୦୦ଟି ସ୍କୁଲକୁ ଆଜି ବୋମାମାଡ଼ ଧମକ ମିଳିଛି। ଇମେଲ ମାଧ୍ୟମରେ ପଠାଯାଇଥିବା ଧମକରେ କୁହାଯାଇଛି ଯେ ଆମେ ଲୋକଙ୍କୁ ସ୍କୁଲର କାନ୍ଥରେ ସମାଧି ଦେବୁ। ଏହି ଧମକପୂର୍ଣ୍ଣ ଇମେଲ ଆସିବା ପରେ ସବୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଥିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୁଲିସ। ଏଥି ସହିତ, ସୂଚନା ସାମ୍ନାକୁ ଆସୁଛି ଯେ ଇମେଲର ସର୍ଭର ଯାହା ମାଧ୍ୟମରେ ଏହି ଇମେଲ ପଠାଯାଇଛି ତାହା ବିଦେଶରେ ରହିଛି।ତେବେ ଅନୁସନ୍ଧାନକାରୀ ସଂସ୍ଥା ସନ୍ଦେହ କରୁଛନ୍ତି ଯେ ଇମେଲ ପଠାଇବା ପାଇଁ ବ୍ୟବହୃତ ଆଇପି ଠିକଣାର ସର୍ଭର ବିଦେଶରେ ଅବସ୍ଥିତ। ମୋଟ ଉପରେ, ନୋଏଡା, ଗାଜିଆବାଦ ଏବଂ ଦିଲ୍ଲୀ ପୁଲିସ ଏହି ମାମଲାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଛି। ଇମେଲ ପଠାଇବା ପାଇଁ ଗୋଟାଏ ଆଇପି ଠିକଣା ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି। ଏହା ସହ ଏଭଳି କାମ ଜଣକର ନୁହେଁ ବରଂ କୌଣସି ଏକ ଆତଙ୍କବାଦୀ ସଂଗଠନର ବୋଲି ସନ୍ଦେହ କରୁଛି ପୁଲିସ।