ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନ ହୋଇଛି। ଦୀର୍ଘ ଦିନ ଧରି ରହି ଆସିଥିବା ଲୋଗୋ ରଙ୍ଗକୁ ବଦଳାଇ ଦିଆଯାଇଛି। ପୂର୍ବରୁ ଲୋଗୋରେ ନାଲି ରଙ୍ଗ ଥିବାବେଳେ ବର୍ତ୍ତମାନ ଗେରୁଆ କରାଯାଇଛି। ଡିଡି ନ୍ୟୁଜର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ସରକାରୀ ନ୍ୟୁଜ୍ ଚ୍ୟାନେଲ୍ ‘ଡିଡି ନ୍ୟୁଜ୍’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି।ଡିଡି ନ୍ୟୁଜ୍ ପୋଷ୍ଟରେ କହିଛି ଯେ, ପୂର୍ବ ପରି ଆମର ମୂଲ୍ୟବୋଧ ସମାନ ରହିବ, କିନ୍ତୁ ଆମେ ଏକ ନୂଆ ଅବତାରରେ। ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ, ଯାହା କେବେ ପୂର୍ବରୁ ହୋଇନାହିଁ… ନୂତନ DD ନ୍ୟୁଜର ଅଭିଜ୍ଞତା ନିଅନ୍ତୁ!ତେବେ ବିରୋଧୀ ଦଳ ଏହି ପରିବର୍ତ୍ତନକୁ ନେଇ ରାଜନୈତିକ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀ (DD, AIR)ର ପୂର୍ବତନ ସିଇଓ ଜବାହର ସିର୍କର କହିଛନ୍ତି, ଜାତୀୟ ପ୍ରସାରଣକାରୀ “ଗେରୁଆକରଣ” ଉପରେ ନଜର ରଖିଛନ୍ତି। ଏହା ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ ବୋଲି ସେ କହିଛନ୍ତି। ସେହିପରି 2012ରୁ 2014 ପର୍ଯ୍ୟନ୍ତ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଥିବା କଂଗ୍ରେସର ମନୀଷ ତିୱାରୀ ମଧ୍ୟ ଏହି ପରିବର୍ତ୍ତନକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନର ସରକାର ସରକାରୀ ସଂସ୍ଥାକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରୁଛନ୍ତି।
ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ଅଧୀନରେ ଥିବା ଡିଡି ନ୍ୟୁଜ୍ ଚ୍ୟାନେଲ୍ର ଗୈରିକୀକରଣ ହୋଇଥିବା ନେଇ ବିରୋଧୀ ଦଳ ଏବଂ ମିଡିଆ ବିଶେଷଜ୍ଞମାନେ ସମାଲୋଚନା କରିଛନ୍ତି। ଏହା ଆଉ ପ୍ରସାର ଭାରତୀ ହୋଇ ରହିନାହିଁ, ପ୍ରଚାର ଭାରତୀରେ ପରିଣତ ହୋଇଛି ବୋଲି ଏହାର ପୂର୍ବତନ ସିଇଓ ଜଓ୍ବାହର ସିର୍କର ମନ୍ତବ୍ୟ ଦେଇଛନ୍ତି। ଗୈରିକ ରଙ୍ଗ ହିନ୍ଦୁତ୍ୱ ସହ ଜଡ଼ିତ ଏବଂ ଶାସକ ଭାଜପା ଏବଂ ଏହାର ମୂଳ ସଂଗଠନ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ହିନ୍ଦୁତ୍ୱକୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ପ୍ରସାର ଭାରତୀର ବର୍ତ୍ତମାନର ସିଇଓ ଗୌରବ ଦ୍ୱିବେଦୀ ସମାଲୋଚନାକୁ ଖଣ୍ଡନ କରିଛନ୍ତି। ଲୋଗୋକୁ କମଳା ରଙ୍ଗ କରାଯାଇଛି। ଜି୨୦ ସମ୍ମିଳନୀ ଆୟୋଜନ ପୂର୍ବରୁ ଆମେ ଡିଡି ଇଣ୍ଡିଆ (ଇଂଲିଶ ନ୍ୟୁଜ୍ ଚ୍ୟାନେଲର ଲୋଗୋକୁ ବଦଳାଇଥିଲୁ ବୋଲି ଗୌରବ କହିଛନ୍ତି। ଗତ କିଛି ଦଶନ୍ଧି ମଧ୍ୟରେ ଲୋଗୋର ରଙ୍ଗକୁ ଏକାଧିକ ଥର ବଦଳାଯାଇଛି ଏବଂ ବିଭିନ୍ନ ରଙ୍ଗର ମିଶ୍ରଣକୁ ପରୀକ୍ଷାମୂଳକ ଭାବେ ନିଆଯାଇଛି। ଚ୍ୟାନେଲକୁ ଅଲଗା କରିବା ପାଇଁ ଦୃଶ୍ୟ ସୌନ୍ଦର୍ଯ୍ୟବାଦରେ ପରିବର୍ତ୍ତନ ଆବଶ୍ୟକ ବୋଲି ଗୌରବ କହିଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଚୟନ କରିଥିବା ଦୂରଦର୍ଶନର ପ୍ରଥମ ଲୋଗୋ ୧୯୭୬ ଏପ୍ରିଲ ୧ରେ ପଣ୍ଡିତ ରବିଶଙ୍କର ଏବଂ ଉସ୍ତାଦ ଅଲି ଅହମଦ ହୁସେନ୍ ଖାନ୍ଙ୍କ ସଙ୍ଗୀତ ଥେମ୍ ସହ ପ୍ରକାଶ ପାଇଥିଲା, ଯେଉଁଥିରେ ଲୋଗୋ ସବୁଜ ବ୍ୟାକ୍ଗ୍ରାଉଣ୍ଡରେ କମଳାରଙ୍ଗର ଥିଲା ବୋଲି ପ୍ରସାର ଭାରତୀ ସିଇଓ କହିଛନ୍ତି।