୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ବଡ଼ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନା ଲଞ୍ଚ୍ କରିବେ। ସଭାରେ ୫ ଲକ୍ଷ ମହିଳାଙ୍କ ଉପସ୍ଥିତିରେ ଯୋଜନାର ଶୁଭାରମ୍ଭ ହେବ। ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ନେଇ ବଡ ଘୋଷଣା ହୋଇଥିଲଟ। ନିର୍ବାଚନ ପୂର୍ବରୁ ବିଜେପି ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ତେବେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପାଇଁ କେତେକ ବିଶେଷ ଡକ୍ୟୁମେଣ୍ଟ ଆବଶ୍ୟକ ରହିଛି। ଉଭୟ ଅନଲାଇନ ଓ ଅଫଲାଇନ ସୁଭଦ୍ରା ଯୋଜନା ପାଇଁ ଆବେଦନ କରି ହେବ। କେବଳ ବିବାହିତ ମହିଳାମାନେ ଏଥି ପାଇଁ ଆବେଦନ କରି ପାରିବେ। ୨୩ ବର୍ଷରୁ ୫୯ ବର୍ଷ ବୟସର ମହିଳା ଏଥି ପାଇଁ ଆବେଦନ କରି ପାରିବେ। ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କାର କୁପନ ମିଳିବ । ଏହି ଯୋଜନାରେ କେବଳ ଓଡ଼ିଶାର ମହିଳାମାନେ ଆବେଦନ କରି ପାରିବେ। ଏହାସହ ସରକାରୀ ଚାକିରି କରିଥିବା ମହିଳା ଏଥିରୁ ବାଦ ପଡ଼ିବେ।ଏହି ଯୋଜନାରେ ଆବେଦନ କରିବା ପାଇଁ ଅଧାରକାର୍ଡ, ବ୍ୟାଙ୍କ ଆକାଉଣ୍ଟ, ଠିକଣା ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ଫଟୋ, ଇନ୍କମ ସାର୍ଟିଫିକେଟ, ରାସନ କାର୍ଡ ଆଦି ଭଳି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟର ଆବଶ୍ୟକ ରହିଛି। ଏହି ଯୋଜନା ଦ୍ୱାରା ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ତେବେ ଦେଖାଯାଉ କେତେ ଦୂର ସରକାରଙ୍କ ଲକ୍ଷ ପୂରଣ ହେଉଛି।