ତାଇୱାନକୁ ଲାଗିଛି ଭୟଙ୍କର ଭୂମିକମ୍ପ ଝଟକା। ତାସ ଘର ପରି ଭୁଶିଡି ପଡିଛି ବଡବଡ କୋଠା । ରାସ୍ତା ଗୁଡ଼ିକ ଭୂ ଗର୍ଭରେ ପଶିଯାଇଛି।ତାଇୱାନର ଭୂକମ୍ପ ନିରୀକ୍ଷଣ ଏଜେନ୍ସି ଅନୁଯାୟୀ ଏହି ଭୂକମ୍ପର ତୀବ୍ରତା ୭.୨ ଥିବା ବେଳେ ୟୁଏସ୍ ଜିଓଲୋଜିକାଲ ସର୍ଭେ ୭.୪ ବୋଲି ଆକଳନ କରିଛି । ସେପଟେ ତାଇୱାନର ପୂର୍ବ ସହର ହୁଆଲିନରେ ଅଧିକ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି । ରାଜଧାନୀ ତାଇପେରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ସମଗ୍ର ଦ୍ୱୀପକୁ ଦୋହଲାଇ ଦେଇଛି ଏବଂ କୋଠାଗୁଡିକ ଭୁଶୁଡ଼ି ପଡ଼ିଛି ।
ଏକାଧିକ ସ୍ଥାନରେ ବଡବଡ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଏହି ଭୂମିକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରିଥିବା ସୂଚନା ମିଳିଛି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ଜାପାନ ଦକ୍ଷିଣ ଦ୍ୱୀପ ଗୋଷ୍ଠୀ ଓକିନାୱା ପାଇଁ ସୁନାମି ସତର୍କ ଜାରି କରାଯାଇଛି ମଧ୍ୟ । ଏଠାରେ ବିମାନ ଉଡ଼ାଣ ବାତିଲ କରାଯାଇଛି । ଫିଲିପାଇନ୍ସ ମଧ୍ୟ ସୁନାମି ନେଇ ସତର୍କ କରାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଜାପାନ ପାଣିପାଗ ଏଜେନ୍ସି ପୂର୍ବାନୁମାନ କରିଛି ଯେ ଭୂମିକମ୍ପ ପରେ ୯.୮ ଫୁଟ ପର୍ଯ୍ୟନ୍ତ ସୁନାମି ଆସିପାରେ । ସୁନାମିର ପ୍ରଥମ ଲହର ମିଆକୋ ଏବଂ ୟେୟାମା ଦ୍ୱୀପପୁଞ୍ଜ ଉପକୂଳ ଛୁଇଁସାରିଛି ।