ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ବିଧାୟକ ଦଳ ନେତା ପ୍ରେମ ସିଂହ ତମାଙ୍ଗ ଆଜି ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଦ୍ବିତୀୟ ଥର ଲାଗି ସିକ୍କିମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗାଙ୍ଗଟକର ପାଲଜୋର ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ଆଚାର୍ଯ୍ୟ ତମାଙ୍ଗ ଓ ତାଙ୍କ କ୍ୟାବିନେଟକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ସମାରୋହ ଲାଗି ରାଜ୍ୟରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ସିକ୍କିମର ମୋଟ ୩୨ ବିଧାନସଭା ଆସନରୁ SKMକୁ ମିଳିଛି ୩୧ ଆସନ । ସେପଟେ ବିରୋଧୀ ଦଳ ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟ (SDF)କୁ ମିଳିଛି ମାତ୍ର ଗୋଟିଏ ଆସନ । ଏହାସହିତ ପାର୍ଟି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ ଚାମଲିଙ୍ଗ ନିର୍ବାଚନ ଲଢିଥିବା ୨ଟି ଆସନରେ ପରାଜିତ ହୋଇଛନ୍ତି ।