ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ବିଶାଳ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ଟିଟିଲାଗଡ଼ ଆସନରୁ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ ନାମାଙ୍କନ ଭରିବେ । ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ସକାଳ ୧୦ଟା ୨୫ରେ ତୁଷୁରା ଏୟାର ଷ୍ଟ୍ରିପରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରୁ ହେଲିକପ୍ଟରରେ ଯାଇ ଟିଟିଲାଗଡ଼ ସିଟି ସ୍କୁଲ ପଡିଆରେ ଓହ୍ଲାଇବେ। ସେଠାରୁ ରୋଡ ସୋ କରି ବ୍ୟାଙ୍କ ଛକ, ଶାସ୍ତ୍ରୀ ଛକ, ବିଜୁ ପଟ୍ଟନାୟକ ଛକ ହୋଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିବେ ନବୀନ । ସୁରକ୍ଷା ପାଇଁ ମୁତୟନ ରହିବେ ୧୭ ପ୍ଲାଟୁନ ପୋଲିସ ଫୋର୍ସ। ଏହା ଦଳର ଅନେକ ବିଧାୟକ, ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣା ପଡ଼ିଛି।ସେହିପରି ଆଜି ସମ୍ୱଲପୁର ଲୋକସଭା ଆସନ ପାଇଁ ବିଜେପି ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିବେ। ସେ ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଦର୍ଶନ କରି ସେଠାରୁ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ପହଁଚି ନାମାଙ୍କନ ଭରିବେ। ଏହି ସମୟରେ ତାଙ୍କ ସାଙ୍ଗରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାୟକ ମଧ୍ୟ ନାମାଙ୍କନ ଭରିବେ। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ଜିଲ୍ଲାପାଳ ଅଫିସ ପହଁଚିବେ ବୋଲି ଜଣା ପଡ଼ିଛି। ଏହାସହ ଆଜି ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ପ୍ରାର୍ଥୀପତ୍ର ଦାଖଲ କରିବେ।