ବାଲେଶ୍ବର ଜିଲ୍ଲା ଭୋଗରାଇର ତିନି ଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି।କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୭୯ ବର୍ଷ ହୋଇଥିଲା। ଗତକାଲି ରାତି ୧୨ଟା ୧୫ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ କମଳା ଦାସଙ୍କର ପରଲୋକ ହୋଇଛି।କମଳା ଦାସଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ସେ ପ୍ରଥମେ ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଥିଲେ। ପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରେଗତକାଲି ରାତି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକ ସୂଚନା ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ, ୧୯୯୦ ମସିହାରେ ଡାକ୍ତର କମଳା ଦାସ ଡାକ୍ତର ଚାକିରି ଛାଡ଼ି ଜନତା ଦଳ ଟିକଟରେ ଭୋଗରାଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରି ବିଜୟୀ ହୋଇଥିଲେ। ଏହାପରେ ୧୯୯୫ ମସିହାରେ ସେହି ଜନତା ଦଳ ଓ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକଟରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାନସଭାକୁ ହ୍ୟାଟ୍ରିକରେ ନିର୍ବାଚିତ ହେବାରେ ଡାକ୍ତର କମଳା ଦାସ ପ୍ରଥମ ବିଧାୟିକା ଥିଲେ। କେବଳ ବିଧାୟକ ନୁହେଁ ସେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା,ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।କେବଳ ଭୋଗରାଇ କାହିଁକି ବାଲେଶ୍ଵର ଜିଲ୍ଲା ଏପରିକି ସମଗ୍ର ରାଜ୍ୟ ରାଜନୀତିରେ ଜଣେ ନାରୀନେତ୍ରୀ ଭାବେ କମଳା ଦାସଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା।୨୦୧୪ ମସିହାରେ ପୁଣି କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିଲେ। କମଳା ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିବା ସହ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ।