ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗରେ ଇଡି, ଏନଆଇଏ ଓ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ହେଉଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ମୋଦୀ ସରକାର ଉପରେ ବର୍ଷିଛନ୍ତି ମମତା । ଇଦ ଉଲ ଫିତର ଅବସରରେ କୋଲକାତାର ରେଡ୍ ରୋଡରେ କାର୍ଯ୍ୟକର୍ତ୍ତା ଏବଂ ଲୋକମାନଙ୍କୁ ସମ୍ବୋଧନ କରି ମମତା ବାନାର୍ଜୀ କହିଛନ୍ତି, ଯଦି କେହି ଦଙ୍ଗା କରିବାକୁ ଆସନ୍ତି ତେବେ ଆପଣମାନେ ଶାନ୍ତ ରୁହନ୍ତୁ ।ଆପଣଙ୍କ ମୁଣ୍ଡ ଥଣ୍ଡା ରଖନ୍ତୁ । ଯଦି କେହି ପ୍ରତିବାଦ କରିବେ ସେମାନେ (ବିଜେପି) ଏନଆଇଏକୁ ପଠାଇ ଦେଉଛନ୍ତି । ସମସ୍ତଙ୍କୁ ଗିରଫ କରୁ କରୁ ସମ୍ପୂର୍ଣ୍ଣ ଦେଶ ଖାଲି ହୋଇଯିବ ।ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ବିଜେପି ମଧ୍ୟରେ ଏନଆଇଏକୁ ନେଇ ବିବାଦ ଉଗ୍ର ରୂପ ଧାରଣ କରିଛି । ୨୦୨୨ ବୋମା ବିସ୍ଫୋରଣ ମାମଲାରେ ଏନଆଇଏ ଏପ୍ରିଲ ୬ରେ ପୂର୍ବ ମେଦିନପୁର ଜିଲ୍ଳାର ଭୁପତିନଗରରେ ଚଢ଼ାଉ କରିଥିଲା । ଏହି ସମୟରେ ଏନଆଇଏ ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ସମ୍ବିଧାନକୁ ବରବାଦ କରିବା ଏବଂ ଭ୍ରଷ୍ଟ ନେତାଙ୍କୁ ବଞ୍ଚାଉଥିବା ନେଇ ଟିଏମସି ଉପରେ ମୋଦୀ ଅଭିଯୋଗ ଆଣିଥିବା ବେଳେ କେନ୍ଦ୍ରୀୟ ଏଜେନ୍ସି ଟିଏମସି ନେତାଙ୍କୁ ବିଜେପିରେ ସାମିଲ ହେବାକୁ ଧମକ ଦେଉଛି ବୋଲି ଅଭିଯୋଗ କରିଛନ୍ତି ମମତା ବାନାର୍ଜୀ ।