ତାତିରୁ ମିଳିଲା ଆଶ୍ୱସ୍ତି । ଗତ କିଛି ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିଛି ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ନିର୍ଧୁମ ବର୍ଷିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହିତ ଘନ ଘନ ବଜ୍ରପାତ ହୋଇଛି । ବଜ୍ରପାତରେ ବାଲେଶ୍ୱରର ୩ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି ।

ରବିବାର ରାଜ୍ୟର ୩୯ ସହରର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି ।

ସୋମବାର ବି ରାଜ୍ୟରେ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୋନପୁର, ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷା ହୋଇପାରେ । ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ବି ଅଛି । କିଛି ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିପାରେ । ଏହାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୯ ତାରିଖରେ ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବାର ଆକଳନ କରାଯାଇଛି । ୧୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଏହି ସମୟରେ ତାପମାତ୍ରା ପୂର୍ବାପେକ୍ଷା କମ୍ ରହିବ । ଆସନ୍ତା ତିନି ଦିନରେ ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରବିବାର ଦିନ ବେଳା ରାଜଧାନୀ ସମେତ ପ୍ରାୟ ସବୁ ସ୍ଥାନରେ ତାପମାତ୍ରା ଖସିଥିଲା ।ଅନେକ ସ୍ଥାନରେ ମେଘୁଆ ପାଗ ରହିଥିଲା । ସକାଳ ସାଢ଼େ ୮ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୧.୪ଡିଗ୍ରୀ ଅନୁଭୂତ ହୋଇଥିଲା । କିନ୍ତୁ ବାୟୁମଣ୍ଡଳରେ ୮୧% ଆର୍ଦ୍ରତା ଯୋଗୁ ପ୍ରବଳ ଗୁଳୁଗୁଳି ହୋଇଥିଲା । ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ୩୭.୨, ରାଉରକେଲାରେ ୩୬.୪, ସମ୍ବଲପୁରରେ ୩୬.୩, ଝାରସୁଗୁଡ଼ାରେ ୩୬.୨, ହୀରାକୁଦରେ ୩୬, ଚାନ୍ଦବାଲିରେ ୩୫.୭, ବାଲେଶ୍ୱର ଓ କେନ୍ଦୁଝରରେ ୩୪.୫, ପାରାଦୀପରେ ୩୩.୮, ପୁରୀରେ ୩୩.୬ ଓ ଗୋପାଳପୁରରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । କେବଳ ମାଲକାନଗିରିରେ ତାତି ୪୦ ଡିଗ୍ରୀ ଛୁଇଁଛି । ଏଠାରେ ଦିନ ତାପମାତ୍ରା ସର୍ବାଧିକ ୪୧.୧ ଡିଗ୍ରୀ ରେକର୍ଡ ହୋଇଛି । ଏହାକୁ ଛାଡ଼ି ବାକି ସବୁ ସ୍ଥାନରେ ତାପମାତ୍ରା ରବିବାର ତୁଳନାରେ ୨ରୁ ୩ ଡିଗ୍ରୀ କମିଯାଇଛି । ଅଧିକାଂଶ ସ୍ଥାନରେ ତାପମାତ୍ରା ହାରାହାରି ୩୫ରୁ ୩୮ ଡିଗ୍ରୀ ରହିଛି । ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱରରେ ୨୪ ମିଲିମିଟର ବର୍ଷା ହୋଇଛି ।

ସେହିଭଳି ସନ୍ଧ୍ୟା ୬.୩୦ ସୁଦ୍ଧା ଢ଼େଙ୍କାନାଳରେ ୩ ଏମ୍ଏମ୍, କେନ୍ଦୁଝରରେ ୬ ଏମ୍ଏମ୍, ରାୟଗଡ଼ାରେ ୨.୨ ଏମ୍ଏମ୍, ବାରିପଦାରେ ୩.୨ ଏମ୍ଏମ୍ ବର୍ଷା ହୋଇଛି । ଅପରାହ୍ଣରେ ଅଧିକାଂଶ ସ୍ଥାନରେ ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଥିଲା । ଘନ ଘନ ବଜ୍ରପାତ ହୋଇଥିଲା । ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭୟଙ୍କର ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା । ବାଲେଶ୍ୱର ଭୋଗରାଇ ବ୍ଲକ୍ ଉଦୟପୁର ବେଳାଭୂମିରେ ୩ ପର୍ଯ୍ୟଟକ ବଜ୍ରପାତରେ ଗୁରୁତୁର ହୋଇଛନ୍ତି । ଏଥିରେ ପଶ୍ଚିମବଙ୍ଗର ଦୁଇ ଜଣ ଏବଂ ଓଡ଼ିଶାର ଜଣେ ପର୍ଯ୍ୟଟକ ଅଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।

Please follow and like us:
Pin Share

Leave a Reply

Your email address will not be published. Required fields are marked *